ଉଦଯାପିତ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

 

ଭୁବନେଶ୍ୱର,୩୦/୧୨(ଏସଏସନିଉଜ) କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବହୁ ଉପାଦେୟ ଜ୍ଞାନ ଆହରଣ କରିଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସଙ୍କ ସଭାପତିତ୍ବରେ ଉଦଯାପନୀ ସଭାରେ ଇସ୍ରୋର ସ୍ୱନାମ ଧନ୍ୟ ବୈଜ୍ଞାନିକ ଡଃ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଶିକ୍ଷାର୍ଥୀମାନଙ୍କ ଧୈର୍ଯ୍ଯ ,ନିଷ୍ଠା ଓ ଏକାଗ୍ରତାକୁ ପ୍ରଶଂସା କରିବା ସହିତ ଜଣେ ଶିକ୍ଷକ ହିସାବରେ ପ୍ରଶିକ୍ଷାର୍ଥୀମାନେ ଗର୍ବ କରିବା ଓ ଗୋଟିକ ପରେ ଗୋଟିଏ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍, ଲେଖକ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମାଜରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଓ ସେମାନେ କିପରି ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବେ ଓ ପିଲାମାନଙ୍କ ଦ୍ବାର ଆଦୃତ ହେବେ ତାହା ନିଜର ଅନୁଭୂତି ମାଧ୍ୟମରେ ଦର୍ଶାଇ ଥିଲେ। ପରିଷଦର ସମ୍ପାଦକ ରବିନାରାୟଣ ଜେନା ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପରିଷଦର ତାଲିମ ସଂଯୋଜକ ବାବାଜୀ କୁମାର ଏହି ଚାରି ଦିନ ବ୍ଯାପି ପ୍ରଶିକ୍ଷଣ ଶିବିରର ବିବରଣୀ ପ୍ରଦାନ କରିଥିଲେ। ଉପସଭାପତି ହିମାଂଶୁ ଶେଖର ଆଚାର୍ଯ୍ଯ ପ୍ରଶିକ୍ଷାର୍ଥୀମାନେ ଅର୍ଜନ କରିଥିବା ଜ୍ଞାନକୁ ଉପଯୁକ୍ତ ବିନିଯୋଗ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ।ତତ୍ପରେ ସଭାପତି ସୁଧିର କୁମାର ଦାସ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ନିରନ୍ତର ପ୍ରଚେଷ୍ଠା ଜାରି ରଖି ନିଜ ନିଜର ଜ୍ଞାନ ବୃଦ୍ଧି କରିବା ସଙ୍ଗେସଙ୍ଗେ ଶିଶୁର ସର୍ବାଙ୍ଗୀନ ଉନ୍ନତି ଦିଗରେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ପରିଷଦର ପରୀକ୍ଷା ପ୍ରମୁଖ ତଥା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କର ଚାରିଦିନ ରହିବାର ଅନୁଭୂତି ଉପରେ ମତାମତ ଆହ୍ବାନ କରିବା ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା।
(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.