ନନ୍ଦନକାନନରେ ଭିତରେ ପଶି ଆକ୍ରମଣ ଘଟଣା

ନିଜ ଆଡୁ ମାମଲା ରୁଜୁ କଲା ନନ୍ଦନକାନନ କର୍ତ୍ତୁପକ୍ଷ

0 153

ବାରଙ୍ଗ,୪ା୬(ଏସଏସନିଉଜ) ସୋମବାର ପ୍ରାଣୀଉଦ୍ୟାନ ନନ୍ଦନକାନନ ବନ୍ଦ ଦିନରେ ଜଣେ ଯୁବକ ବେଆଇନ ଭାବେ ପସିବା ଏବଂ ଏହାକୁ ବାରଣ କରିବାରୁ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିଜଆଡୁ ଏକ ମାମଲା ରୁଜୁକରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ ନଂ ୨/୨୪ ରେ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ନନ୍ଦନକାନନ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ନନ୍ଦନକାନନ ପକ୍ଷରୁ ପ୍ରାଣୀଉଦ୍ୟାନ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗମୀ ଦିନରେ ପରିସର ମଧ୍ୟରେ ଓଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯିବ ବୋଲି ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ସୋମବାର ନନ୍ଦନକାନନ ବନ୍ଦ ରହିଥିବା ବେଳେ ସକାଳ ପ୍ରାୟ ୯ଟା ସମୟରେ ରଘୁନାଥପୁର ଗ୍ରାମର ବାପୁନି ଓରଫ ମାନସ ରଞନ ସାହୁ ନାମକ ଯୁବକ ତାର ମୋଟର ସାଇକେଲ ନେଇ ନନ୍ଦନକାନନକୁ ପ୍ରବେଶ କରି ବାଘ ଖୁଆଡ଼ ପାଖରେ ଗାଡିରଖି ବାଘ ଦେଖୁଥିଲା। ସେଠାରେ ନିୟୋଜିତ ଥିବା ଅସ୍ଥାୟୀ କର୍ମଚାରୀ ମଳୟ ରଞନ ନାୟକଙ୍କ ନଜରକୁ ଆସିବାରୁ ସେ ବାପୁନିକୁ ଫେରିଯିବାକୁ କହିବାରୁ ମଦ୍ୟପାନ କରିଥିବା ବାପୁନି ମାରଧର ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଭୟଭୀତ ହୋଇ ମଳୟ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇବାକୁ ଚେଷ୍ଟା କରିବା ବେଳେ ବାପୁନି ତାଙ୍କ ମୋବାଇଲ ଛଡାଇନେଇଥିଲା। ପାଟିତୁଣ୍ଡ ଶୁଣି ଦୁରରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଓ କିଛି କର୍ମଚାରୀ ଆସିବାରୁ ବାପୁନି ସେଠାରୁ ପଳାଇ ଯାଇଥିଲା। ସୁରକ୍ଷା ବିଭାଗର ଅଧିକାରୀ ଏ ବିଷୟରେ ଜାଣିବା ପରେ ନନ୍ଦନକାନନ ଥାନାକୁ ଜଣାଇଥିଲେ। ପରେ ସୁରକ୍ଷା ବିଭାଗର କର୍ମଚାରୀମାନଙ୍କ ସହ ମଳୟ ନନ୍ଦନକାନନ ଥାନାକୁ ଆସି ନିଜ ଆଡ଼ୁ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ପ୍ରାଣୀଉଦ୍ୟାନ ନନ୍ଦନକାନନ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲା। ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ନନ୍ଦନକାନନ କର୍ତ୍ତୃପକ୍ଷ ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ ନିଜ ଆଡ଼ୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.