ଆଜି ରାତିର ଗପ ଭାଗ୍ୟଦେବୀ … ଅନେକ ପୂର୍ବ କାଳର କଥା । ଗୋଟିଏ ଗାଁରେ ହରିସ୍ ନାମକ ଗରୀବ ଚାଷୀଟିଏ ରହୁଥାଏ । ତା’ର ଆଉ ଏ ଦୁନିଆରେ ନିଜର ବୋଲି କେହିବି ନଥାଏ, ଉତ୍ତରାଧିକାରୀ ଭାବରେ ସେ ତା’ ବାପର ମାତ୍ର ଦେଢ ଏକର ଜମି ପାଇଥାଏ । ସେହି ଜମିରେ ସେ ଅନେକ ଫଳ ଚାଷ କରେ । ନିଜେ ଖାଏ ଓ ବଳକା ଫଳ ବିକି ପଇସା ଜମା କରିଥାଏ । ତା’ ଜମିକୁ ଲାଗି କିଛି ଅନାବାଦୀ ଜମି ପଡିଆ ପଡିଥାଏ । ଇତିମଧ୍ୟରେ ସେ ଜଣେ ଭଲ ଚାଷୀ ଭାବରେ ପ୍ରମାଣିତ ହେଲାଣି । ତା’ର ମନହେଲା ଯଦି ଅନବାଦୀ ଜମିଟି ସେ କିଣି ପାରନ୍ତା ତେବେ ତା’ର ଫଳ ବ୍ୟବସାୟ ବହୁତ ବଢିଯା’ନ୍ତା । ଜମିଟି ସେହି ଗାଁର କୌଣସି ବ୍ୟବସାୟୀର ଥିଲା । ସେ ବ୍ୟବସାୟୀ ଜଣକ ଖୁବ୍ ଧନୀ ଥିଲା । ଲୋକମାନଙ୍କୁ ସୁଧରେ ଟଙ୍କା କରଜ ଦେଇ ସେ ବଡ ଲୋକ ହୋଇ ଯାଇଥିଲା । କାହାକୁ କରଜ ଦେବାବେଳେ ତା’ଠାରୁ ସେ ଏହି ଜମିଟି ବନ୍ଧକ ଭାବରେ ରଖିଥିଲା ।ଦିନେ ହରିସ୍ ତା’ ପାଖକୁ ଯାଇ ଜମି କିଣିବାର ଇଚ୍ଛା ପ୍ରକାଶ କଲା । ଅନାବାଦୀ ଜମି ପ୍ରତି ହରିସ୍ ଏତେ ଆଗ୍ରହ ଦେଖି ସେ ବହୁତ ଦାମ୍ କହିଲା । ମାତ୍ର ସେତେବେଳେ ହରିସ୍ ଏତେ ଧନ ନଥିଲା । ତେଣୁ ସେ ଅଧା ଦାମ୍ ଦେଇପାରିଲା । କିନ୍ତୁ ଜମି ଶୀଘ୍ର କିଣିଲେ ସେ ଫସଲ କରିବ । ତେଣୁ ବାଧ୍ୟ ହୋଇ ସେ ଋଣପତ୍ର ଲେଖିଦେଲା ଓ ସେହି ଜମିକୁ ତା’ ନାମରେ ଲେଖିଦେବାକୁ ସେ କହିଲା । ବ୍ୟବସାୟୀ କହିଲା ସେ ଯେବେ ସମୁଦାୟ ଟଙ୍କା ଦେବ ସେବେ ଯାଇ ଜମିର ମାଲିକାନା ସତ୍ୱ ତା’ ନାମରେ ଲେଖା ହେବ । ଜମି ପାଇବାର ଆନନ୍ଦରେ ହରିସ୍ ନାଚି ନାଚି ଘରକୁ ଫେରିଲା । କିଛିଦିନ ପରେ; ଦିନେ ବ୍ୟବସାୟୀ କୌତୁହଳୀ ହୋଇ ହରିସ୍ ଜମି ରେ କିମିତି ଫସଲ କରିଛି ଦେଖିବାକୁ ଗଲେ । ସେହି ସମୟରେ ହରିସ୍ ସେଠାରେ ହଳ କରୁଥିଲା । ହଳ କରୁ କରୁ ହଳର ଅଗ୍ରଭାଗ କୌଣସି ଜିନିଷରେ ଯାଇ ବାଜିଲା । ହରିସ୍ ହଳ ବନ୍ଦ କରି କୋଦାଳ ନେଇ ସେହି ସ୍ଥାନକୁ ଖୋଳିଲା । ବ୍ୟବସାୟୀ ସେଠାରେ ପହଁଚି ହରିସ୍ କାର୍ଯ୍ୟକର୍ମ ସବୁ ନିରୀକ୍ଷଣ କରୁଥାଏ । ହରିସ୍ ଟିକିଏ ମଧ୍ୟ ଉତ୍ତେଜିତ ନ ହୋଇ ମାଟି ଭିତରୁ ହାତ ପୁରାଇ ଦୁଇଟି ସୁନାର କଳସ ଆଣିଲା । ଭାଗ୍ୟଦେବୀ ହରିସ୍ ଉପରେ ପ୍ରସନ୍ନ ହୋଇ ସୁନାର କଳସ ଦେଇଥିବାର ବ୍ୟବସାୟୀ ଜଣକ ଅନୁଭବ କରିବାସହ କଳସ ଦୁଇଟିକୁ ନେବ ବୋଲି କହିଲା । ମାତ୍ର ସେ ହରିସ୍ ଛାଡିଲା ନାହିଁ । ତା’ପରେ ସେ ଦୁହେଁ ବିଚାରାଳୟକୁ ଗଲେ ।ବିଚାରପତି ନ୍ୟାୟ ଆରମ୍ଭ କରିବା ସହ ପକ୍ଷମାନଙ୍କର କଥାଶୁଣିବା ଆରମ୍ଭ କଲେ । ହରିସ୍ ବିଚାରପତିଙ୍କୁ କହିଲା କି ସେ ସେହି ଅନାବାଦୀ ଜମି ବ୍ୟବସାୟୀଠାରୁ କିଣି ଚାଷ କରିବା ସମୟରେ କଳସ ଦୁଇଟି ପାଇଛି, ତେଣୁ ତାହା ତା’ର । ହଜୁର୍ ମୁଁ ମୋ ବହୁଦିନର ସଂଚିତ୍ ଅର୍ଥକୁ ଦେଇ ତା’ଠାରୁ ଜମି କିଣିଛି । ବିଚାରପତି ପଚାରିଲେ “ତେବେ ଏହାର କ’ଣ ପ୍ରମାଣ ଅଛି? ଏଭଳି କଥା ଶୁଣି ହରିସ୍ ମୁହଁ ହଠାତ୍ ଶେଥା ପଡିଗଲା । ବ୍ୟବସାୟୀ ସଙ୍ଗେ ହୋଇଥିବା ସମସ୍ତ କଥାବାର୍ତ୍ତା ସେ ବିଚାରପତିଙ୍କୁ କହିଲା । ବ୍ୟବସାୟୀ କହିଲା, “ମହାଶୟ, ଏ ବ୍ୟକ୍ତି ମହା ଠକ । ବାସ୍ତବରେ ଏ ଅନାବାଦୀ ଭୂମି ମୋରହିଁ । ତାହା ତ ମୁଁ କାହାକୁ ହେଲେବି ବିକିନାହିଁ । ମୁଁ ନିଜେହିଁ ଏ ବର୍ଷ ଏ ଜମିକୁ ଆବାଦ୍ କରିବାକୁ ଚାହିଁଥିଲି । ସେଥିପାଇଁ ହଳ କରିବାକୁ ମୁଁ ହରିସ୍ କହିଥିଲି । ଭାଗ୍ୟ ଦେବୀ ସୁବର୍ଣ୍ଣକଳସ ରୂପରେ ମୋ ଘରକୁ ଆସୁଛନ୍ତି । ହରିସ୍ ଅତିମାତ୍ରାରେ ମିଥ୍ୟା ଓ ଲୋଭର ବଶବର୍ତ୍ତୀ ହୋଇ ଏପରି ମିଛ କହୁଛି । ତା’ର ଏ ଜମି ଉପରେ କୌଣସି ଅଧିକାର ନାହିଁ । ବିଚାରପତି ଜାଣିପାରିଲେ ଯେ ବ୍ୟବସାୟୀ କଳସ ଦେଖି ଏ ପ୍ରକାର ବଦଳି ଯାଇଛି । ତଥାପି କିଛି ସମୟ ଭାବିବା ପରେ ବିଚାରପତି କହିଲେ, “ସାଧାରଣତଃ ଭାଗ୍ୟ ଦେବୀଙ୍କର କୃପା ବ୍ୟବସାୟୀଙ୍କ ଉପରେ ବେଶି ଥାଏ । ତେଣୁ ଏ କଳସ ଦୁଇଟି ମଧ୍ୟ ତାଙ୍କର । ତା’ପରେ ସେ କଳସ ଦୁଇଟି ବ୍ୟବସାୟୀଙ୍କ ହାତରେ ଦେଲେ । ତା’ପରେ ବଡ ସନ୍ତୋଷରେ ସେ ସେଠାରୁ ଚାଲିଗଲା । ତଥାପି ହରିସ୍ ଧୈର୍ଯ୍ୟର ସହିତ ବିଚାରପତିଙ୍କୁ କହିଲା, “ମହାଶୟ, କଳସ ତ ମିଳିଲା ନାହିଁ ଏବେ ଅତି କମ୍ ମୋ ଜମି ଯେପରି ମୁଁ ଫେରିପାଏ । ତା’କଥା ଶୁଣି ବିଚାରପତି ହରିସ୍ କହିଲେ, “ସେ ବିଷୟରେ ତୁମେ ମୋଟେ ଚିନ୍ତା କରନାହିଁ । ସବୁକିଛି ଶେଷରେ ତୁମରହିଁ ହେବ । ପରଦିନ ସକାଳୁ ବିଚାରପତି ତାଙ୍କ ସଙ୍ଗରେ କିଛି ସିପାହୀଙ୍କୁ ନେଇ ସେ ବ୍ୟବସାୟୀର ଘରକୁ ଗଲେ ଓ ତାକୁ ବନ୍ଦୀ କଲେ । କ୍ରମେ ଏହି ଖବର ଚାରିଆଡେ ବ୍ୟାପିଗଲା । ଗ୍ରାମରୁ ବହୁତ ଲୋକ ଆସି ସେଠାରେ ଜମା ହେଲେ । ବିଚାରପତି ଲୋକମାନଙ୍କୁ ଦେଖି କହିଲେ, “ଭାଇମାନେ, କାଲି ଏହି ବ୍ୟବସାୟୀ ମିଛରେ କହିଲା କି ସେ ସୁନା କଳସ କ୍ଷେତରୁ ପାଇଛି । କିନ୍ତୁ ଏହି ସୁନା କଳସ ତ ରାଜାଙ୍କ ସମ୍ପତ୍ତି ମଧ୍ୟରୁ ଚୋରୀ ହୋଇଛି । ମୋତେ ଏବେ ଏ ଖବର ମିଳିଲା । ସେଥିପାଇଁ ମୁଁ ତାକୁ ବନ୍ଦୀ କଲି । ଏବେ ତାକୁ ଦଣ୍ଡ ମଧ୍ୟ ମିଳିବ ।ସେ ଡରରେ ଥରି ଥରି କହିଲା, “ହଜୁର୍, କାଲି ମୁଁ ମିଛ କହିଛି । ହେଲେ ମୁଁ ତ କୌଣସି ଅପରାଧ କରିନାହିଁ । ପ୍ରକୃତରେ ମୁଁ ଏହି କଳସ ବିଷୟରେ କିଛିବି ଜାଣେ ନାହିଁ । ଅନାବାଦୀ ଜମି ମୁଁ କେତେଦିନ ଆଗରୁ ହରିସ୍ ବିକି ଦେଇଥିଲି । ତେଣୁ ଏ ଚୋରୀ ହେବା ପଛରେ କେବଳ ତାରହିଁ ହାତ ଥାଇପାରେ । ଗତକାଲି ଜମି ଭିତରୁ କଳସ ବାହାର କରି ଓଲଟା ନିଜର ଅପରାଧକୁ ମୋ ଉପରେ ସେ ଆରୋପ କରୁଛି । ଦଣ୍ଡ ତ ହରିସ୍ ମିଳିବା ଉଚିତ୍ । ବିଚାରପତି ପଚାରିଲେ “ତୁମେ ଯେ ହରିସ୍ ଜମି ବିକିଛ ତା’ର ପ୍ରମାଣ କ’ଣ? ବ୍ୟବସାୟୀ ସଙ୍ଗେସଙ୍ଗେ ଋଣପତ୍ରଟି ଆଣି ଦେଖାଇଲା । ବିଚାରପତି ଋଣପତ୍ର ଓ କଳସ ଉଭୟକୁ ହରିସ୍ ଦେଇଦେଲେ । ତା’ପରେ କହିଲେ, “ଭାଇମାନେ, ବ୍ୟବସାୟୀ ବଡ ଠକ । ହରିସ୍ ସରଳତାର ସୁଯୋଗ ନେଇ ନିଜର ଅନାବାଦୀ ଜମିକୁ ହରିସ୍ ଦୁଇଗୁଣ ଦାମ ବିକିଛି । ହରିସ୍ ଜମିରେ ସୁନାର କଳସ ମିଳିବାରୁ ତାକୁ ମଧ୍ୟ ତା’ଠାରୁ ନେଇ ଯିବା ପାଇଁ ସେ ମିଛ କହିଛି । କାଲି ମୁଁ ତା’ କଥା ବିଶ୍ୱାସ କରିଛି ବୋଲି ଯାହା ଖାଲି ଅଭିନୟ ମାତ୍ର କରିଥିଲି । ଏ କଳସ ରାଜାଙ୍କର ନୁହେଁ, ହରିସ୍ ତା ଜମିରୁ ପାଇଥିବାରୁ ଏହା ଉପରେ କେବଳ ତାର ଅଧିକାର, ସତରେ ଭାଗ୍ୟ ଦେବୀ ତା’ ଉପରେ ପ୍ରସନ୍ନ ହୋଇଛନ୍ତି । ବିଚାରପତିଙ୍କ ଏପ୍ରକାର ବିଚାର ଯୋଗୁଁ ହରିସ୍ ସହ ଗ୍ରାମ ଲୋକେ ତାଙ୍କର ପ୍ରଶଂସା କଲେ । - Advertisement - 0 511 Share