ବାରଙ୍ଗ,୨୭/୧୨(ଏସଏସନିଉଜ) କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ରାଜ୍ଯସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସୁଧିର କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶିବିରରେ ଓଡ଼ିଶା ପ୍ରାଥମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଜୀ ଗୁରୁମାମାନଙ୍କର ସ୍ଥାନ, ପାରିଶ୍ରମିକ, ଉଦ୍ୟମ, କାର୍ଯ୍ୟାବଳୀ ଗୁରୁ ଦାୟିତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁର ଆଚାର ବ୍ଯବହାର ପରିବର୍ତ୍ତନ ସହିତ ତାର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା ଓ ବିକଶିତ କରିବା ଦିଗରେ ଶିକ୍ଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।
ବରିଷ୍ଠ ଶିକ୍ଷାବିତ୍, ବାଗ୍ମୀ, ଲେଖକ ତଥା ଶିଶୁ ସାହିତ୍ୟିକ ଡଃ ଦିଗରାଜ ବ୍ରହ୍ମା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ଶିଶୁର ମନକୁ ଛୁଇଁଲା ଭଳି ପାଠ୍ୟ ପୁସ୍ତକକୁ କିପରି ସେମାନେ ଗ୍ରହଣ କରିବେ ଏହା ଗୁରୁଜୀ ଗୁରୁମାଙ୍କ ଉପରେ ନିର୍ଭର କରେ। ଆମର ଗୁରୁଜୀ ଗୁରୁମା ମାନେ ନିଜକୁ ସେହିଭଳି ଜ୍ଞାନର ଗନ୍ତାଘର ଭାବେ ପ୍ରତିପାଦନ କରିବା ପାଇଁ ପ୍ରେରଣା ଦେଇଥିଲେ।
ପରିଷଦର ସମ୍ପାଦକ ରବିନାରାୟଣ ଜେନା ସ୍ଵାଗତ ଅଭିଭାଷଣ, ପରିଷଦର ତାଲିମ ସଂଯୋଜକ ବାବାଜୀ କୁମାର ବାର୍ଷିକ ପ୍ରଶିକ୍ଷଣ ଶିବିରର ରୂପରେଖ, କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ପରିଷଦର ପରୀକ୍ଷା ପ୍ରମୁଖ ତଥା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କର ଚାରିଦିନ ରହିବାର ସୁବନ୍ଦୋବସ୍ତ ଉପରେ ଆଲୋକପାତ କରିଥିଲେ।