ଭୁବନେଶ୍ୱର, ୮।୩(ଏସଏସନିୟୂଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡିଥାଏ। ଆମ ସରକାରର ୯ ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। କିନ୍ତୁ, ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରି ପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁ ନାହାନ୍ତି। ସେମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ ଚାଷୀଙ୍କୁ ୨୪ ବର୍ଷ ରେ MSP ଠାରୁ କିଛି ଅଧିକ ଟଙ୍କା ଦେଇ ପାରିଲେ ନାହିଁ , କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟରେ କୁଇଣ୍ଟାଲ ପିଛା ୧୦୦ ନୁହେଁ, ୮୦୦ ଟଙ୍କା ଦେବା ପାଇଁ ନିଷ୍ଫତ୍ତି ନେଇଗଲେ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜବାବ ରଖି କହିଥିଲେଯେ, ୨୪ ବର୍ଷ ଧରି ଆପଣ ଯାହା କରିବାକୁ ଚିନ୍ତା କରିପାରି ନ ଥିଲେ ଆମେ ତାକୁ କାର୍ଯ୍ୟରେ ପରିଣତ କରିଛୁ। ଗରିବ ପରିବାରଙ୍କ କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ମଧ୍ୟ ଆମେ ନେଇଛୁ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ ସୁଭଦ୍ରା ଆଜି ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଂଚିଛି। କଥା ଦେଇ ଆମ ସରକାର ଆଜି କଥା ରଖିଛନ୍ତି। ୮ ମାସ ମଧ୍ୟରେ ଏହି ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁଯେ ମହିଳାଙ୍କୁ ସଶକ୍ତ କରିବୁ ଏବଂ ତାହା ଏହି ଭଳି ଭାବେ ଆଗକୁ ମଧ୍ୟ ଆମେ ପୂର୍ଣ୍ଣ କରିବୁ ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଣିଜ୍ୟ, ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଓ ଗଂଜାମ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ।