ବାରଙ୍ଗ, ୨୭।୨(ଏସଏସନିୟୂଜ) ସିସିଟିଭି ନଜରରେ ରହିଲା ଓମଫେଡର ବାରଙ୍ଗ ବ୍ଲକ ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କେନ୍ଦ୍ର । ଓମଫେଡର ଏହି ପ୍ଲାଣ୍ଟରେ ଗୁରୁବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ମତ୍ସ୍ୟ, ପଶୁସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି । ଏହାସହ
ଓମଫେଡ ପକ୍ଷରୁ କମ୍ପାନୀର ମୁଖ୍ୟ ଦ୍ବାରରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଛି।ଏହି ପ୍ଲାଣ୍ଟ ପରିସରରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୬୨ଟି ସିସିଟିଭି କ୍ୟାମେରା ଲାଗିଛି । ଏଥିପାଇଁ ଏକ କଣ୍ଟ୍ରୋଲରୁମ କରାଯାଇ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ କେତେ ଦୁଗ୍ଧ ଆସିଲା, କେତେ ପ୍ରକ୍ରିୟାକରଣ ହେଲା, କେଉଁ କେଉଁ ଉତ୍ପାଦ କେତେ ପ୍ରସ୍ତୁତ ହେଲା, କେତେ ବଜାରକୁ ଗଲା ଆଉ କେତେ ମହଜୁଦ୍ ରହିଲା, କିଏ କେଉଁ କାମ କରୁଛି ଆଦି ସବୁ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯିବା ଭୁବନେଶ୍ୱରସ୍ଥିତ ସହିଦନଗର ମୁଖ୍ୟାଳୟରେ ବସି ନିଜେ ପରିଚାଳନା ନିର୍ଦେଶକ
ତଦାରଖ କରିପାରିବାର ବ୍ୟବସ୍ତା କରାଯାଇଛି ।ଏହାସହ ପର୍ଯ୍ୟାୟ କ୍ରମେ ସ୍ଥିତିକୁ ଦେଖି ଅଧିକ ସଂଖ୍ୟକସିସିଟିଭି କ୍ୟାମେରା ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଓମଫେଡ ପ୍ରତି ରାଜ୍ୟବାସୀଙ୍କର ଜେଉଭଳି ଭାବେ ଆସ୍ଥା ଓ ବିଶ୍ୱାସ ରହିଛି, ଏହାକୁ ବ୍ୟବସ୍ଥିତ ଢଙ୍ଗରେ ସଶକ୍ତ କରିବା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବ। ଆଗକୁ ଓମଫେଡ କିପରି ଲୋକମାନଙ୍କୁ ଭଲ ସେବା ଦିଆଯାଇପାରିବ, ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଏବଂ ଉତ୍ତମମାନର ଉତ୍ପାଦ ଏହାର ଲକ୍ଷଲକ୍ଷ ଗ୍ରାହକଙ୍କୁ ଯୋଗାଇ ଦେଇପାରିବ, ସେ ନେଇ ଓମଫେଡର ପରିଚାଳନା ନିର୍ଦେଶକ ଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠା ର ସହ କାର୍ଯ୍ୟ କରୁଛନ୍ତି।
ଓମଫେଡ ପ୍ରତ୍ୟେକ ଉତ୍ପାଦର ଗୁଣାତ୍ମକମାନରେ କୌଣସି ସାଲିସ କରିବ ନାହିଁ । ଏବେ ଜଗନ୍ନାଥଙ୍କ ମନ୍ଦିରରେ ଓମଫେଡ ଘିଅ ଲାଗି ହେଉଛି । ଓମଫେଡକୁ ସଶକ୍ତ ଏବଂ ପୁନଃଗଠନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦେଶ ଦେଇଛନ୍ତି।ଆମ ସରକାର ଆସିବା ପରେ ଓମଫେଡକୁ ବ୍ୟବସ୍ଥିତ ଢଙ୍ଗରେ ଗଢିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଖୁବ୍ ଶୀଘ୍ର ଅରିଲୋଠାରେ ଲାବ୍ରୋଟାରୀ, ଷ୍ଟାପ କ୍ୱାର୍ଟର, ଗେଷ୍ଟ ହାଉସ କରାଯିବ । ଓମଫେଡର ରାଜ୍ୟରେ ଯେଉଁ ମର୍ଯ୍ୟାଦା ରହିଛି, ତାହାକୁ ବଜାୟ ରଖିବା ପାଇଁ ଯାହା ଦରକାର ତାହା ସବୁ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
ଏହି ଅବସରରେ ଓମଫେଡ ର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଉତ୍ପାଦନ) ସୌମେନ୍ଦ୍ର ଭୌମିକ, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡ, ଅରିଲୋସ୍ଥିତ ପ୍ଲାଣ୍ଟ ପରିଚାଳକ, ବରିଷ୍ଠ ଅଧିକାରୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିଥିଲେ ।
ବ୍ୟବସ୍ଥିତ ଢଙ୍ଗରେ ଓମଫେଡ୍ କୁ ସଶକ୍ତ କରାଯିବ-ମନ୍ତ୍ରୀ
