ସାବଧାନ ଆଗରେ ଅଛି ଅଶୁଭ ଗୃହ

ଆଜି ରାତିର ଗପସାବଧାନ,ଆଗରେ ଅଛି ଅଶୁଭ ଗୃହ

ମୁହଁରେ ଉଦାସ ଭାବକୁ ନେଇ ଅରଣ୍ୟ ମାର୍ଗରେ ଜଣେ ବ୍ୟକ୍ତି ଯାଉଥିଲେ । ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା ।ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି? ବୁଢା କହିଲା, ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି ପାରିବ?
ବ୍ୟକ୍ତିଜଣକ କହିଲେ “ମଣିଷ ହସିଲେ କେହି କାରଣ ପଚାରେ ନାହିଁ; କିନ୍ତୁ କାନ୍ଦିଲେ ସମସ୍ତେ ପଚାରନ୍ତି; ତେଣୁ ମୁଁ ପଚାରିଲି ।
ଏଥର ବୁଢା କହିଲା, “ମୋଠାରୁ ବୟସ ତୁମର କମ୍, କିନ୍ତୁ ଏକ ଜ୍ଞାନୀ ପରି କଥା କହୁଛ, ତେବେ ଶୁଣ; ଜ୍ୟୋତିଷ ହରିଷ ପଣ୍ଡା ମୋର ଜୀବନକାଳ ଆଉ ମାତ୍ର ଛଅବର୍ଷ ଥିବାର କହିଛନ୍ତି । ମୁଁ ଏକ ଅଶୁଭଗୃହରେ ପାଦ ଦେଇଥିବାରୁ ମାସେରୁ ଆଉ ଅଧିକ ସମୟ ବଂଚିବି ନାହିଁ ବୋଲି କିଛିଲୋକ କହୁଛନ୍ତି ।ବ୍ୟକ୍ତି କହିଲେ “ଅଶୁଭ ଗୃହ? ସିଏ ପୁଣି କ’ଣ?

ଏହି ବାଟରେ ଆଉ ଟିକେ ଆଗକୁ ଗଲେ ସେହି ଅସୁଭଗୃହ ପଡବ ବୋଲି ବୁଢା ଜଣଙ୍କ କହିଲେ ।ଗୋଟେପଟେ ଅନ୍ଧାର ମାଡି ଆସୁଥିବାବେଲେ ଅନ୍ୟପଟେ ବନ୍ୟଜୀବଜନ୍ତୁଙ୍କ ଭୟ ଥିବାରୁ ନିଜର ସୁରକ୍ଷାପାଇଁ ଅଶୁଭ ଗୃହରେ ରହିବାକୁ ନିଷ୍ପତି ନେଲେ ବ୍ୟକ୍ତିଣଙ୍କ । ଏହି ଶୁଭ ଗୃହ ମୋପାଇଁ କାଳେ ଶୁଭ ହୋଇଯିବ ବୋଲି କହିବାପରେ ବୁଢା ଜଣଙ୍କ ବାଟ ଦେଖାଇଦେଇ ସେଠାରୁ ଚାଲିଗଲେ ।
ବ୍ୟକ୍ତିଜଣକ ଧୀରେ ଧୀରେ ସେହି ଆଡକୁ ଆଗେଇ ସେହି ଅଶୁଭ ଗୃହରେ ଯାଇ ପହଁଚିଲେ । ସେ ଦେଖିଲେ ଯେ ଉଚ୍ଚ ସବୁଜ ବୃକ୍ଷରାଜିର ଘେରା ସୁନ୍ଦର ଘରଟିଏ, ଅବଶ୍ୟ ତାହା ପୁରୁଣା । ରାତ୍ରିଟି ସେହିଠାରେ କଟାଇବାର ନିଷ୍ପତି ନେଇ ପାଖକୁ ଯାଇ ବନ୍ଦ ଥିବା କବାଟରେ କରାଘାତ କଲେ । କିଛି ସମୟ ପରେ ଜଣେ ବାମନ ଆସି ଘର ଖୋଲିଲା । ବ୍ୟକ୍ତିଜଣକ ପଚାରିଲେ, “ମୁଁ ଏଠାରେ ରାତିଟି ରହିପାରେ କି? ଏହା ଶୁଣି ବାମନ କହିଲା, “ନିଶ୍ଚୟ, ପଥଚାରୀମାନଙ୍କ ସୁବିଧା ପାଇଁ ତ ଏହି ଜଙ୍ଗଲରେ ମୁଁ ଏତେ ବଡ ଘର ବନାଇଛି । ବ୍ୟକ୍ତି ଘରଭିତରକୁ ଗଲେ । ବିନାତେଲର ଦୀପଗୁଡିକକୁ ଚାରିଜଣ ବାମନ ଝରକା ପାଖରେ ରଖୁଛନ୍ତି । ଦୀପଗୁଡିକରେ ତେଲବଦଳରେ ମୂଲ୍ୟବାନ୍ ମଣିସବୁ ରଖା ଯାଇଥିବାରୁ ସେଥିରୁ ତେଜ ବାହାରୁ ଥାଏ । ଏସବୁ ଦେଖି ଯାତ୍ରୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ ଜୀବନ ତ ବିଚିତ୍ର; ସେଥିରେ ମଧ୍ୟ ଆହୁରି ଏକ ବଡ ଆଶ୍ଚର୍ଯ୍ୟ  ଦେଖିବାକୁ ପଡିଲା । ଏକଥା ଶୁଣି ଜଣେ ବାମନ ହସି କହିଲା, “ଯେତେଦିନ ପର୍ଯ୍ୟନ୍ତ ତୁମେ ଏଠାରେ ରହିବାକୁ ଚାହଁ ଖୁସିରେ ରୁହ; କିନ୍ତୁ ଆମକୁ କୌଣସି ପ୍ରଶ୍ନ ପଚାରିବ ନାହିଁ । ଅନ୍ୟ ଏକ ସର୍ତହେଲା ପ୍ରଥମ ଘରେ ଯେଉଁ ସ୍ୱର୍ଣ୍ଣକବାଟ ଅଛି ତାକୁ ଆଦୌ ଖୋଲିବ ନାହିଁ ।ଏହା ଶୁଣି ବ୍ୟକ୍ତି ଜଣଙ୍କ ପଚାରିଲେ ତେବେ ଏତିକି କୁହ ଯେ ଏ ଘରର ମାଲିକ କିଏ? ତା’ପରେ ବାମନଟି କହିଲା “ପ୍ରଥମରୁ କହିଛି ନା ପ୍ରଶ୍ନ ପଚାରିବ ନାହିଁ । ଏହାପରେ ବ୍ୟକ୍ତିଜଣଙ୍କ ସ୍ନାନ କରିବାକୁ ଚାହିଁବାରୁ ଅତର ଗୋଲାପ ପାଖୁଡା ମିଶ୍ରିତ ପାଣିର ବନ୍ଦୋବସ୍ତ ହୋଇଗଲା । ସ୍ନାନ କରି ସାରିବା ପରେ ବ୍ୟକ୍ତିଙ୍କୁ ବହୁତ ଭୋକ ଲାଗିବାରୁ ତାଙ୍କୁ ଜଣେ ବାମନ ଅନେକ ଖାଦ୍ୟପୂର୍ଣ୍ଣ ପାତ୍ର ଢଙ୍କା ହୋଇଯାଇଥିବା ଗୃହକୁ ନେଇଗଲେ ।ବ୍ୟକ୍ତିଜଣଙ୍କ ପେଟପୁରା ଖାଇବାପରେ ପୁଣି ବାମନକୁ କିଛି ପଚାରିବାକୁ ଉଦ୍ୟମ କରୁଥିବାବେଳେ ମୁହଁରେ ହାତ ଦେଇ ଚୁପ୍ ରହିବାକୁ ବାମନ କହିଥିଲେ । ଏହାପରେ ଏକ ବଡ କକ୍ଷରେ ବ୍ୟକ୍ତିଜଣଙ୍କର ଶୋଇବାର ବନ୍ଦୋବସ୍ତ ହୋଇଗଲା ।ବ୍ୟକ୍ତିଜଣଙ୍କ ଖଟଉପରେ ପଡିଥିବା କୋମଳ ଶର୍ଯ୍ୟାରେ ଶୋଇଲେ ।ଏହାପରେ ପାଖରେଥିବା ଝରକାକୁ ଖୋଳିଦେବାପରେ ପୁଷ୍ପ ସୁଗନ୍ଧ ଭରା ପବନ ସୁଲୁସୁଲୁହୋଇ ଘରମଧ୍ୟକୁ ପଶିଆସିଥିଲା ।ଶାନ୍ତିରେ ଟିକେ ନିଶ୍ୱାସ ମାରି ଭାବିଲେ ଇନ୍ଦ୍ରଭୁବନ ପରି ଘରକୁ ବୁଢା ମୋତେ କହୁଛି ଅଶୁଭ ଗୃହ ,ତାଙ୍କୁ ସବୁ କୁହୁକ ପରିଲାଗୁଥିଲା ।ତାଙ୍କର କୈାତୁହଳ ମନ ଅସ୍ଥିର ହୋଇଉଠିଲା ।ପକୃତ ଜିନିଷ ଜାଣିବାପାଇଁ ସେ ଯୋଜନା କରି ମନକୁ ସ୍ଥିର କଲେ ।ବାମନ ମନାକରୁଥିବା ଘରକୁ ନିଶ୍ଚୟ ସେ ଯିବେ ଓ ଦେଖିବେ ସେଥିରେ କ’ଣ ଅଛି । ଏହିପରି ଭାବୁ ଭାବୁ ସେ ଶୋଇଗଲେ ।

 

ସକାଳ ହେବା ପରେ ତାଙ୍କ ସ୍ନାନ ଓ ଭୋଜନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥାଏ । ସେ ଦିନଟି ଆନନ୍ଦରେ ସେ ରହିଲେ ଓ ଗୃହର ଷୋଳଟି କକ୍ଷ ବୁଲି ଦେଖିବାସହ ଘରର ଉପର ମହଲାକୁ ଗଲେ, ସେଠାରେ ଗୋଟିଏ ମାତ୍ର ଘର ଥାଏ । ସୁନାର ସେହି ଘର ଝଟକୁଥାଏ । କକ୍ଷଟିର କବାଟ ଅତି ଚମତ୍କାର ଥିଲା । ବ୍ୟକ୍ତି ଭାବିଲେ ଭିତରପଟେ କାଳେ ଅଧିକ ଅଦ୍ଭୁତ କିଛି ଥିବ । କିନ୍ତୁ ବାମନ ସେହି କବାଟ ନ ଖୋଲିବାକୁ କହିଥିଲା । କିନ୍ତୁ ବ୍ୟକ୍ତଭାବିଲେ ଏହି ଘରର କବାଟ ନ ଖୋଲିଲେ ରାତିରେ ତ ତାଙ୍କୁ କେବେବି ନିଦ ଆସିବ ନାହିଁ । ତେଣୁ ସେ ଧୀରେ ଧୀରେ କବାଟ ଖୋଲିଲେ । ତାଙ୍କ ଆଖି ଝଲସି ଗଲା ।ସେ ଘରର ଚଟାଣ ଶଙ୍ଖମଲମଲ ପଥରରେ ହୋଇଥିଲା । ତା’ର କାନ୍ଥ ସବୁ ସୁନାପାତରେ ଢଙ୍କା ହୋଇଥିଲା । ସେଥିରେ ପୁଣି କେଉଁଠି କେଉଁଠି ବା ହୀରାମୋତିର କାରୁକାର‌୍ୟ୍ୟ ବି ହୋଇଥିଲା । ସେହି ଘର ଭିତରେ ତଳ ଘରକୁ ଯିବା ପାଇଁ ସିଡି ଥିଲା । ଯାତ୍ରୀ ପଡିଯିବା ଭୟରେ ବଡ ସାବଧାନତାର ସହିତ ତଳକୁ ଓହ୍ଲାଇଗଲେ ।
ହଠାତ୍ ବଡ କାଉଟାଏ କାହୁଁ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିବାକୁ ଲାଗିଲା, ବିଲେଇଟାଏ ଶବ୍ଦ କରି ଆସି ତାଙ୍କ ଛାତି ଉପରକୁ କୁଦି ପଡିଲା । ଏତେ ଯୋରେ ବିଲେଇଟା ଚିତ୍କାର କଲା ଯେ ଯେପରି ତାଙ୍କ କାନ ଫାଟିଯିବ । ଗୋଟାଏ ଚେମଣିଆ ତାଙ୍କ ମଥା ଉପରେ ତିନିଥର ଉଡିଲା । ଏସବୁ ଦେଖି ସେ ଭୟରେ ସେଠାରୁ ବାହାରି ଆସିବାକୁ ଉଦ୍ୟମ କରୁଥିବାବେଳେ ପଛପଟରୁ ଏକ ଭୟଙ୍କର ସ୍ୱର ରେ କିଏ କହିଲେ “ମୂର୍ଖ, ଠିକ୍ କୋଡିଏ ବର୍ଷ ପରେ ଆଜିର ଦିନରେହିଁ ତୋର ମୃତ୍ୟୁ ନିଶ୍ଚିତ ।ଏକଥା ଶୁଣି ସେ ବ୍ୟକ୍ତି ଜଣକ ଭାରି ଖୁସି ହେଲେ ଓ ନିଜ କକ୍ଷକୁ ଫେରି ଆସିଲେ । ସେଠାରେ ପାଂଚଜଣ ବାମନ ଫୁସ୍ ଫାସ୍ ହୋଇ କ’ଣ କଥାବାର୍ତ୍ତା ହେଉଥିଲେ । ବ୍ୟକ୍ତ ପଚାରିଲେ, “ସମସ୍ତେ ଏଠାରେ ଏକତ୍ର କାହିଁକି ହୋଇଛ?
ଜଣେ ବାମନ କହିଲା, “ତୁମେ ମୃତ୍ୟୁର ଦିନ ଜାଣିକରି ମଧ୍ୟ ହସୁଛ, ଏହା ତ ବଡ ଆଶ୍ଚର୍ଯ୍ୟ  କଥା?
ବ୍ୟକ୍ତି ଜଣଙ୍କ କହିଲେ “ମୁଁ କାହିଁକି କାନ୍ଦିବି? ମୋର ମୃତ୍ୟୁ ସମୟ ଜାଣି କରି ମୁଁ ତ ବହୁତ ଖୁସି । ବହୁତ ଦିନ ପରେ ଆମେ ତୁମ ପରି ଜଣେ ବ୍ୟକ୍ତି ଦେଖିଲୁ । ଏକଥା ତୁରନ୍ତ ଆମେ ଆମ ମୁଖିଆଙ୍କୁ ଯାଇ କହିବୁ । ମନେ ହେଉଛି ଭବିଷ୍ୟତରେ ଏହି ଅଶୁଭଗୃହରେ ଆମର ଆଉ କିଛି ବି କାମ ନାହିଁ । ଏକଥା କହୁ କହୁ ବାମନମାନେ ସେଠାରୁ କୁଆଡେ ଅଦୃଶ୍ୟ ହେଲେ ।ତା’ର ଠିକ୍ ପର ମୁହୂର୍ତ୍ତରେ ସେ ଅଶୁଭଗୃହ ମଧ୍ୟ କୁଆଡେ ଉଭେଇଗଲା । ଏବେ ଯାତ୍ରୀଜଣକ ଦେଖିଲେ ସେ ଗୋଟିଏ ଗଛ ତଳେ ଠିଆ ହୋଇଛନ୍ତି । ସେ ଖୁସିରେ ମନକୁ ମନ କହିଲେ, “ଏକଥା ସତ ଯେ ନିଜର ମୃତ୍ୟୁ କଥା ଶୁଣି ମଣିଷ ଖୁବ୍ ବିଚଳିତ ହୋଇପଡେ । କିନ୍ତୁ କୋଟିକରେ ଗୋଟିଏ ମୋ ପରି ଯିଏ କି ତା’ ମୃତ୍ୟୁ କଥା ଶୁଣି ବି ଖୁସି ହେଉଛି ।
ସେହି ବ୍ୟକ୍ତି ଜଣକ ଜଣେ ଗ୍ରାମୀଣ ବ୍ୟକ୍ତି ଥିଲେ । ତାଙ୍କର ହୃଦରୋଗ ଥିଲା । ଯେଉଁ ବୈଦ୍ୟମାନେ ଓ ଜ୍ୟୋତିଷମାନେ ତାଙ୍କୁ ପରୀକ୍ଷା କରିଥିଲେ ସେମାନେ କହିଥିଲେ କି ଛଅମାସ ମଧ୍ୟରେ ତାଙ୍କ ମୃତ୍ୟୁ ହେବ । ତେଣୁ ତାଙ୍କର ସମସ୍ତ ସାଂସାରିକ ବନ୍ଧନ ଛାଡି ସେ ଜଙ୍ଗଲରେ ଘୁରିବୁଲୁଥିଲେ । ତାଙ୍କୁ ଯେତେବେଳେ କୁହାଗଲା ଯେ କୋଡିଏ ବର୍ଷ ଅଧିକ ସେ ବଂଚିବେ ସେତେବେଳେ ସେ ଖୁବ୍ ଖୁସି ହୋଇଗଲେ । ତାଙ୍କର ଆତ୍ମବଳ ଓ ବିଶ୍ୱାସ ବଢିଗଲା । ବ୍ୟକ୍ତି ଜଣଙ୍କ ତାଙ୍କ ମନ ମଧ୍ୟରେ ସେ ବାମନଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଇ, ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ପ୍ରାର୍ଥନା ପୂର୍ବକ ଆପଣା ଘରକୁ ଫେରିଲେ ।

 

Comments (0)
Add Comment