ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯।୧୨(ଏସଏସନିଉଜ) ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ ନୂଆବର୍ଷରୁ ନାଟମଣ୍ଡପରେ ସ୍ୱତନ୍ତ୍ର ବେରିକେଡ଼ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।ବ୍ୟାରିକେଡ଼ ଭିତରେ ପୁରୁଷ, ମହିଳା, ଶିଶୁ, ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯିବ।
ଓବିସିସି ଦ୍ୱାରା ଏହି ନୂତନ ବ୍ୟବସ୍ଥା କରାଯାଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଖୁବଶୀଘ୍ର ସେବାୟତଙ୍କ ସହ ଆଲୋଚନା କରାଯିବ।
ଅନ୍ୟପଟେ ଆନନ୍ଦ ବଜାରରେ ଶୃଙ୍ଖଳାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମୃତାୟନ୍ କରାଯାଇ ସେମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି।
ସେହିପରି ମହାପ୍ରସାଦବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ଗେରୁଆରଙ୍ଗର ପୋଷାକ ପିନ୍ଧିବେ । ଯେଉଁ ସହାୟକମାନେ ରହିଛନ୍ତି,ସେମାନେ ଆସନ୍ତା ୨୫ ତାରିଖଠାରୁ ଗେରୁଆରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିବେ।ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଚରଣକଲେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।

Comments (0)
Add Comment