କଟକ,୨୭।୧୨(ଏସଏସନିଉଜ)ଆଠଗଡ଼ ତହସିଲ ଅନ୍ତର୍ଗତ ପାଟେଣୀଗାଁ ମୌଜାରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ଏକ ବେଆଇନ ପାଚେରୀ ଆଢୁଆଳରେ ବେଆଇନ ବାଲି ବିକ୍ରୀ କରିଚାଲିଥିଲେ। ସ୍ଥାନୀୟ ଲୋକମାନଙ୍କୁ ଡର ଦେଖାଇ, ଏହି ବ୍ୟକ୍ତି ଜଣକ ମହାନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିଲେ ଓ ଚଢ଼ା ଦରରେ ବାହାରେ ବିକ୍ରୀ କରୁଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।
ଏ ସଂକ୍ରାନ୍ତରେ ଜିଲ୍ଲା ଖଣି ଅଧିକାରୀ ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ସରକାରୀ ଜମିରେ ବେଆଇନ ଭାବେ ଗଢ଼ାଯାଇଥବା ଉପରୋକ୍ତ ପାଚେରୀକୁ ଭାଙ୍ଗିବା ନିମନ୍ତେ ଆଦେଶ ଜାରି କରିଥିଲେ। ଆଦେଶ ମୁତାବକ ସରକାରୀ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବା ପୂର୍ବରୁ ଭୟବସତଃ ବ୍ୟକ୍ତି ଜଣକ ନିଜେ ହିଁ ରାତାରାତି ପାଚେରୀକୁ ଭାଙ୍ଗିଦେଇଥିଲେ। ବେଆଇନ ଲଘୁ ଖଣିଜ କାରବାର ଉପରେ ଆଗାମୀ ଦିନରେ ଏହିଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।