ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୩୦ା୭(ଏସଏସନିଉଜ) ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ମହାନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।ସୋମବାର ବିଳମ୍ଭିତ ରାତିରୁ ମହାନଦୀର ମୁଣ୍ଡଳୀ ଦେଇ ପ୍ରବାହିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷାଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଥିଲେ। ଖୋଲା ଯାଇଥିବା ୨୦ଟି ସୁଇସ୍ ଗେଟ ଦେଇ ଡ୍ୟାମରୁ ୩ଲକ୍ଷ ୪୬ହଜାର ୬୯୮ ଘନଫୁଟ ବନ୍ୟା ନିଷ୍କାସନ କରାଯାଉଛି।ମଙ୍ଗଳବାର ସକାଳେ ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧିରେଧିରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ମୁଣ୍ଡଳୀଠାରେ ୨ଲକ୍ଷ ୫୭ହଜାର ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ବ୍ୟାରେଜର ଉପରଭାଗରେ ଜଳସ୍ତର ୮୩.୯୦ ଏବଂ ତଳ ଭାଗରେ ୮୦.୬୪୦ ରହିଥିବା ବେଳେ ବନ୍ୟାଜଳ ବିପଦସଂକେତ ତଳେ ରହିଛି। ମଙ୍ଗଳବାର ଅପରାହ୍ନ ୪ଟାସୁଦ୍ଧା ମୁଣ୍ଡଳୀଠାରେ ୪ଲକ୍ଷ ୧୫ହଜାର ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ବ୍ୟାରେଜର ଉପର ଭାଗରେ ଜଳସ୍ତର ୮୬.୬୦ ଏବଂ ତଳ ଭାଗରେ ୮୩.୭୦ ରହିଥିବା ବେଳେ ବନ୍ୟାଜଳ ବିପଦ ସଂକେତ ତଳେ ରହିଛି। ମଙ୍ଗଳବାର ରାତି ସୁଦ୍ଧା ବନ୍ୟାଜଳ ୫ଲକ୍ଷ ଘନଫୁଟ ପାଖାପାଖି ପହଞ୍ଚିବ ବୋଲି ଅନୁମାନ କରାଯାଉଛି ବୋଲି ମୁଣ୍ଡଳୀ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଦାସ ସୂଚନା ଦେଇଛନ୍ତି।।ଏବେ ତଳିଆ ଅଞ୍ଚଳ ପାଇଁ କୌଣସି ବିପଦ ନଥିବାରୁ ଅଞ୍ଚଳବାସୀ ଆତଙ୍କିତ ନ ହେବାକୁ ମୁଣ୍ଡଳି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପଟେ ବନ୍ୟାଜଳ ଦେଖିବାପାଇଁ ସକାଳୁସକାଳୁ ଦେଖଣାହାରୀଙ୍କ ଭୀଡ ଆରମ୍ଭ ହୋଇଯାଇଛି ।

Comments (0)
Add Comment