ଘଟଗାଁ, ୩/୨(ଏସଏସନିଉଜ)ମହାମାରୀ କରୋନାପାଇଁ ଗତ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା।କେବଳ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ଙ୍କ ଦର୍ଶନର ସୁବିଧା ରହିଥିବାବେଳେ ସାଙ୍ଗରେ ଭୋଗ ଆଣିପାରୁନଥିଲେ ।ତେବେ ଆସନ୍ତାକାଲିଠାରୁ ମା’ ତାରିଣୀ ମନ୍ଦିରରେ ଭୋଗ ଲାଗିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଭୋଗନେଇ ଆସିପାରିବେ ।ଏହାସହ ୧୦ ବର୍ଷରୁ କମ୍ ପିଲା ଏବଂ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୮ଟା ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ ଓ ଭୋଗ ଲଗାଇପାରିବେ। ମନ୍ଦିର ପ୍ରବେଶପଥରେ ଭୋଗ ଲଗାଇବା ଓ ଦର୍ଶନ ପାଇଁ ସ୍ବତନ୍ତ୍ର ଭାବେ ଦୁଇଟି ଧାଡ଼ିର ବ୍ୟବସ୍ଥା ହୋଇଛି। ଏହାସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିବାର ଜଣାପଡିଛି । କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା। କେବଳ ନୀତିକାନ୍ତି ଚାଲୁଥିଲା। ଶ୍ରଦ୍ଧାଳୁମାନେ କେବଳ ଦର୍ଶନ କରୁଥିଲେ। ଏଣିକି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସାଙ୍ଗକୁ ଭୋଗ ଲଗାଇପାରିବେ।