ବିଶ୍ବ ବିଜୟୀ ଭାରତୀୟ ହକିଦଳର ହିରୋମାନଙ୍କୁ ଭବ୍ୟସମ୍ବର୍ଦ୍ଧନା

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ୧୫ଲକ୍ଷଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଟିମ୍‌ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ କହିଛନ୍ତି ଯେ ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ । ଓଡିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥି ଭଳି ରହିଆସିଛି । ସେ କହିଥିଲେ ଯେ ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳୀମାନଙ୍କ ସହିତ ଅଛନ୍ତି। ଆଗାମୀଦିନରେ ସେମାନେ ଯେପରି ଆହୁରି ବଡସଫଳତା ହାସଲକରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶପାଇଁ ଆମେ ଆହୁରି ନୂଆନୂଆ ପଦକ୍ଷେପନେବୁ। ଆମର ଖେଳାଳୀ ମାନେ ଯେପରି ବିଶ୍ବସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ଉନ୍ନୟନକମିଶନର ଅନୁଗର୍ଗ, ହକିଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ ।

Comments (0)
Add Comment