କଟକ ବାଲିଯାତ୍ରାପାଇଁ ସ୍ଥାନ ଆବଣ୍ଟନ ନିମନ୍ତେ ପଞ୍ଜିକରଣ ଆରମ୍ଭ

କଟକ,୮/୧୦(ଏସଏସନିଉଜ) ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉତ୍ସବ-୨୦୨୨ ନିମନ୍ତେ ବ୍ୟବସାୟୀକ ତଥା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ସ୍ଵଚ୍ଛତାଅଧାରରେ ସ୍ଥାନବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାରବାଟୀ ପ୍ୟାଲେସ, ବାରବାଟୀ ଷ୍ଟାଡିୟମଠାରେ କରାଯାଉଛି।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ହେବାକୁ ଥିବା କଟକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି। ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି ଯେ ସ୍ଵଚ୍ଛତାକୁ ଆଧାର କରି ପୃଷ୍ଠପୋଷକଙ୍କ ସମେତ ବ୍ୟବସାୟିକ ଅନୁଷ୍ଠାନ, ସଙ୍ଘ, ବ୍ୟବସାୟୀ ଏବଂ ଉଠା ଦୋକାନୀ ମାନଙ୍କୁ ସ୍ଥାନ(ପ୍ଲଟ) ଗୁଡିକୁ ଆବଣ୍ଟନ କରିବା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି।
ଚଳିତବର୍ଷ ପ୍ରଥମଥର ପାଇଁ ବାଲିଯାତ୍ରାରେ ପ୍ଲଟ ନିଲାମ କରାଯାଉଛି।ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ନିର୍ମଳ କରାଯିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖାଯିବା ସହ ସଂସ୍ଥା ଗୁଡିକର ବ୍ରାଣ୍ଡିଙ୍ଗ ଏବଂ ସେମାନଙ୍କ ଉତ୍ପାଦକ ଗୁଡିକର ବଜ଼ାର ଚାହିଦା ବଢ଼ାଇବା ନିମନ୍ତେ ମଧ୍ୟ ପ୍ରୋତ୍ସାହନ କରାଯିବ। ଏ ସମସ୍ତ ସୂଚନା ପ୍ରଦାନ କରିବା ସହ ଏହା ଏକ ନୂତନ ପରମ୍ପରା ସୃଷ୍ଟି କରିବ ବୋଲିମଧ୍ୟ ଜିଲ୍ଲାପାଳ କହିଛନ୍ତି।ଏହି ଅବସରରେ ଚଳତ ବର୍ଷ ବାଲିଯାତ୍ରା ନିମନ୍ତେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ସମେତ ତହସିଲଦାର, ସମ୍ପୃକ୍ତ ରାଜସ୍ୱ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରକାଶଥାଉକି ଆଜି ପ୍ରଥମ ଦିନରେ ପ୍ଲଟ ପଞ୍ଜିକରଣ ନିମନ୍ତେ ପ୍ରାୟ ୨୫୦ ଜଣ ବ୍ୟବସାୟୀ, ଅନୁଷ୍ଠାନ ଆଦି ଅନୁସନ୍ଧାନ କରିଥିବା ବେଳେ ୬୨ଟି ପ୍ଲଟ ପଞ୍ଜିକରଣ ହୋଇଯାଇଛି।

Comments (0)
Add Comment