ବାଣପୁର ଏନଏସି ଅଞ୍ଚଳରେ ୧୪୪

ବାଣପୁର,୧୨/୩(ଏସଏସନିଉଜ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାପରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବାର ସୁଚନା ଦେବାସହ ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ।ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ, ୧୫ ଜଣ ବିଭିନ୍ନ ଦଳର ସମର୍ଥକ ଆହତ ହୋଇଥିବାବେଳେ ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଥିବା ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି ।ଏବେ ପୋଲିସ କବଜାରେ ଆହତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରହିଛନ୍ତି । ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । ଚିଲିକା ବିଧାୟକ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ ହେବାରେ ଲାଗିଛି ।ଏହି ଘଟଣାକୁ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।ଏହାସହ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ବିଜେଡି କରୁଛି ବୋଲି କହିଛନ୍ତି ।

Comments (0)
Add Comment