ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ

କଟକ,୦୮।୧୧(ଏସଏସନିଉଜ) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି ।ଏହି ନିର୍ଦ୍ଦେଶ ଜାରିହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀ ମାନେ ଆବଶ୍ୟକ ୟୁଜରଫି ଦେଇ ନିର୍ଦ୍ଧାରିତସ୍ଥାନରେ ବ୍ୟବସାୟ କରିପାରିବେ । ଏହି ନିୟମର ଖିଲାପକଲେ ସମ୍ପୃକ୍ତବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତହେବେ ।ତଳ ବାଲିଯାତ୍ରାପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବାପାଇଁ ଆର ଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟିକମିଟି ଗଠନ କରାଯାଇଛି ।କମିଟି ପୋଲିସ୍ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଉଠା ଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରିବ।

Comments (0)
Add Comment