ଭୁବନେଶ୍ଵର,୧୬।୧୨(ଏସଏସନିଉଜ)ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ, ଏକ ଅର୍ଦ୍ଧ-ପ୍ରସ୍ତୁତ ପୋଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ।
ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୋଲିସ୍ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୋଲିସ ପେଟ୍ରୋଲିଙ୍ଗ୍, ତଦନ୍ତ, Victim ପାଖରେ ପହଁଞ୍ଚିବା, ଅପରାଧୀ ଧରିବା ଆହୁରି ସୁଦୃଢ଼ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦଘାଟନ କରିଥିଲେ।
ସେ କହିଥିଲେ ଯେ, ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୋଲିସଥାନା ଗୁଡିକୁ ୯ ହଜାର ବାଇକ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ ।
ଦେଶରେ ଚାଲିଥିବା ସାଇବର କ୍ରାଇମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପୁରା ଦେଶରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇ ଅର୍ଥ ହରାଉଛନ୍ତି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ,
ଇନଭେଷ୍ଟମେଣ୍ଟ ଠକେଇ ଆଦି ଅପରାଧ ବଢି ଚାଲିଛି। ସାଇବର ଅପରାଧ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ପୋଲିସ ବିଭାଗର ସାଇବର ସେଲକୁ ସୁଦୃଢ ଓ ଆଧୁନିକୀକରଣ କରିବା ପାଇଁ ସଂକଳ୍ପବଦ୍ଧ। ଏଥି ପାଇଁ ଆଗାମୀ ଦିନରେ ଯେଉଁ ଜିଲ୍ଲାରେ ସାଇବର ଥାନା ନାହିଁ ସେଠାରେ ସାଇବର ଥାନା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏତଦବ୍ୟତୀତ ଭୁବନେଶ୍ବରରେ ସାଇବର ଅପରାଧର ଉଚ୍ଚକୋଟୀର ତଦନ୍ତ ଓ ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ସାଇବର ଅପରାଧ ଶାଖା ସୃଷ୍ଟି କରାଯିବ, ଯାହାର ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମହିଳା ହିଂସା ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମତ ଦେଇ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ମୋଟ ଦଣ୍ଡବିଧାନ ହାର ଏବଂ ମହିଳା ହିଂସା ବିରୁଦ୍ଧରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ସ୍ତରରେ ଓଡିଶାର ସ୍ଥିତି ନୈରାଶ୍ୟ ଜନକ ଥିଲା । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ସି.ଆଇ.ଡି, କ୍ରାଇମ ବ୍ରାଞ୍ଚ ଶ୍ରୀ ବିନୟ ତୋଷ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ପୋଲିସ ବାହିନୀର କାର୍ଯ୍ୟକ୍ରମ, ସଫଳତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।