ଭୁବନେଶ୍ୱର,୧୨/୧୨(ଏସଏସନିଉ ଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ।
ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩୦ଟି ନୂଆଯାନ ପୋଲିସଙ୍କ କାର୍ଯ୍ୟ ଦକ୍ଷତାକୁ ସୁଦୃଢ କରିବ। ଏଗୁଡିକ ସାଧାରଣ ଗାଡି ନୁହେଁ। ଏଗୁଡିକ ହେଉଛି ଗୋଟିଏ ଗୋଟିଏ ସୁରକ୍ଷା ରଥ। ଏଗୁଡିକ ହେଉଛି ନ୍ୟାୟର, ଶୃଙ୍ଖଳାର, ଭୟମୁକ୍ତ ବାତାବରଣର ଓ ଅପରାଧମୁକ୍ତ ସମାଜର ପ୍ରତୀକ । ଏହି ଗାଡିଗୁଡିକ ଯେତିକି ଗଡିବ ଲୋକମାନେ ସେତିକ ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଗୃହରକ୍ଷୀମାନେ ହେଉଛନ୍ତି ପୋଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀ ମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗା ଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ସହିତ ୨୫୮୪ଟି ନୂତନ ପଦବୀ ସୃଷ୍ଟି କରାଯିବ। ସମୁଦାୟ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର ଉପସ୍ଥିତ ଥିଲେ। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ।