ବାରଙ୍ଗ,୨୯ା୭(ଏସଏସନିଉଜ)ଲଗାଣବର୍ଷାରେ ଭୁବନେଶ୍ବର ବ୍ଲକଅଧିନସ୍ତ ଦାଢ଼ାପଞ୍ଚାୟତର ସାନ ବାଲିପଡ଼ା ଗ୍ରାମରାସ୍ତା ଜଳମଗ୍ନ ହୋଇପଡ଼ିଛି। ଯାହାଫଳରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମର ଏକ ପାର୍ଶ୍ଵରେ ଆପାର୍ଟମେଣ୍ଟମାନ ଗଢ଼ିଉଠିବା ଫଳରେ ବର୍ଷାଜଳ ଆଉ ନିଷ୍କାସିତ ହେଇ ପାରୁନାହିଁ। ଉକ୍ତ ଆପାର୍ଟମେଣ୍ଟର ସଂସ୍ଥା ଜଳନିଷ୍କାସନ ପାଇଁ ନିଜର କୌଣସି ସେଭଳି ଡ୍ରେନ ନିର୍ମାଣ କରିନଥିବାରୁ ଏହି ସମସ୍ୟା ଉପୁଜିଛି। ସମସ୍ତ ବର୍ଷାଜଳକୁ ଗ୍ରାମ ପଟକୁ ଛାଡ଼ି ଦେବାରୁ ସାମାନ୍ୟ ଟିକିଏ ବର୍ଷାହେଲେ ଆପାର୍ଟମେଣ୍ଟରୁ ଆସୁଥିବା ବର୍ଷାଜଳ ଗ୍ରାମ ମୁଖ୍ୟରାସ୍ତା ଉପରେ ଜମି ରହୁଛି। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ପୁର୍ବରୁ ଉକ୍ତ ରାସ୍ତାଦେଇ ବର୍ଷାଜଳ ନିଷ୍କାସିତ ହୋଇଯାଉଥିଲା। ହେଲେ ଆପାର୍ଟମେଣ୍ଟ ନିର୍ମାଣ ହେବା ପରଠାରୁ ଗ୍ରାମରେ ଏପରି ସ୍ଥିତି ଲାଗି ରହୁଛି। ଜଳଚର ଜୀବଙ୍କ ପ୍ରତି ଅଧିକ ଭୟ ରହିଥିବାରୁ ପିଲାମାନେ ପାଣିରେ ପଶି ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯିବାକୁ ନିରାପଦ ମନୁନାହାନ୍ତି।ଅନ୍ୟପଟେ ବର୍ଷଜଳ ଜମି ରହୁଥିବାରୁ କିଛି ଘର ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି। କିଛିଦିନ ପୂର୍ବରୁ ଗ୍ରାମରାସ୍ତା ନବୀକରଣ କରାଯାଇଥିଲା। ସେହି ସମୟରେ ଯଦି ଜଳନିଷ୍କାସନ ଚିନ୍ତା କରାଯାଇ ଡ୍ରେନ ନିର୍ମାଣ କରାଯାଇଥାନ୍ତା ତେବେ ଏଭଳି ସମସ୍ୟା ଉପୁଜିନଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବର୍ଷାଦିନ ଆରମ୍ଭରୁ ଅସରାଏ ବର୍ଷାରେ ଏଭଳି ସ୍ଥିତି ଉପୁଜୁଥିବା ବେଳେ ଆଗକୁ କଣ ହେବ ତାହାକୁ ନେଇ ଗ୍ରାମବାସୀ ଏବେଠାରୁ ଚିନ୍ତା ପ୍ରକଟ କରିବା ଆରମ୍ଭ କଲେଣି।ବର୍ଷାଜଳ ନିଷ୍କାସିତ ନହୋଇଜମିରହିବା ଦ୍ଵାରା ଡେଙ୍ଗୁର ଭୟ ମଧ୍ୟ ଗ୍ରାମବାସୀଙ୍କୁ ଅଧିକ ଘାରିବା ଆରମ୍ଭ କରିଦେଇଛି।