ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ କରାଯିବାସହ କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି।ଚଢ଼ଉ ବେଳେ ୧୯କୁଇଣ୍ଟାଇ ୭୨ କିଲୋଗ୍ରାମ ଗଞ୍ଜେଇ, ୯୬ ବୋତଲ କଫସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ ଜବତ କରାଯାଇଛି।ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ସମୟରେ ଗଜପତି ଜିଲା ଅବକାରୀ ଅଧିକାରୀମାନେ ଏକ ଟ୍ରକ୍କୁ ମାଲବାଘାଟି ନିକଟରେ ଅଟକାଇ ୧୯କୁଇଣ୍ଟାଇ ଗଞ୍ଜେଇ ଜବତ କରିବା ସହିତ ଆଲୋକ ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଥିଲେ। ନୂଆପଡା ଅବକାରୀ ବିଭାଗର ସ୍ବତନ୍ତ୍ର ଭ୍ରାମ୍ୟମାଣ ଦଳ ଖରିଆର ରୋଡ଼ ନିକଟରେ ଚଢ଼ଉ କରି ୯୬ ବୋତଲ କଫ ସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲେ।କଟକ ଅବକାରୀ ବିଭାଗର ଅଧିକାରୀ ମଙ୍ଗୁଳି ଛକ ନିକଟରେ ଏକ ଇଣ୍ଡିଗୋ କାର୍ ଭିତରୁ ୭୨ କିଲୋ ଗଞ୍ଜେଇ ଜବତ ସହ କାର୍ ଚାଳକଙ୍କୁ ଗିରଫ କରିଥିଲେ ।