ବାରଙ୍ଗ ୧୮/୦୪(ଲିଙ୍ଗରାଜ ରାଉତ) ଓସ୍ତପଡା ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ତୃତୀୟ ସମାବର୍ତ୍ତନ ଉତ୍ସବ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ ଓ ମୁଖ୍ଯ ଅତିଥି ଆସନ ଅଳଙ୍କୃତ କରି ଛୋଟଛୋଟ ଶିଶୁମାନଙ୍କ ଠାରେ ଥିବା ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ଗ୍ରାମାଞ୍ଚଳରେ ଏଭଳି ଉତ୍ସବ ଏକ ନିଆରା ଉତ୍ସବ। ଏହା ଉଭୟ ପିଲାମାନଙ୍କର ଓ ଅଭିଭାବକମାନଙ୍କର ଏକ ଆନନ୍ଦର ଉତ୍ସବ। ଶିଶୁର ଭବିଷ୍ୟତ ଗଢିବାରେ ଏହି ଅନୁଷ୍ଠାନ ମୁଖ୍ଯ ଭୂମିକା ଗ୍ରହଣ କରିଅଛି। ଉତ୍ସବର ମୁଖ୍ଯ ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିଲେ। ଶିଶୁକୁ ପରିବାରରୁ ସଂସ୍କାରିତ କରିବାରେ ମାଆମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁକୁ ଉପଯୁକ୍ତ ପରିବେଶ ଯୋଗାଇଦେଲେ ସେମାନଙ୍କର ଦକ୍ଷତା ବୃଦ୍ଧି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବରାଜ ଭୋଇ ଏବଂ ସମିତି ସଭ୍ୟ ଭୁବନ ମୋହନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ତଥା ସଂପାଦକ ପ୍ରଦୀପ କୁମାର ପାଣି ସ୍ଵାଗତ ସଂଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁନନ୍ଦା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଉଭୟେ ପାଠ୍ୟ ଓ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛୋଟଛୋଟ ଛାତ୍ରଛାତ୍ରୀମାନଙ୍କର ନୃତ୍ୟଗୀତରେ ଉପସ୍ଥିତ ଶତାଧିକ ଅଭିଭାବକମାନେ ବିମୋହିତ ହୋଇଥିଲେ। ଶେଷରେ ଉପସ୍ଥିତ ଅତିଥିମାନଙ୍କୁ, ନୃତ୍ୟଗୀତରେ ଅଭିନୟ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ତଥା ଉପସ୍ଥିତ ସମସ୍ତ ଜନତାଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା।